ଶଂଖାସୁର ବଧ

ଶଂଖାସୁର ବଧ ।

ବୈଷ୍ଣବ ଶ୍ରୀ କୃଷ୍ଣଦାସ

ପ୍ରଥମ ସଂସ୍କରଣ ।

 

 

ଶଂଖାସୁର ବଧ

ରାଗ-କଳଶା ।

ଜୟ ଜୟ ଦାମୋଦର ଶ୍ରୀପତି ଶ୍ରୀଧର

ଜୟ ଜୟ ପୀତପଟ ଶ୍ୟାମ ମନୋହର

। ୧ ।

ଜୟ ଜୟ କଂସ ଧ୍ୱଂସ ବନମାଳୀ ହରି

ଜୟ ଜୟ ଶ୍ରୀକୃଷ୍ଣ ମୋହନ ଦଇତ୍ୟାରି

। ୨ ।

ଜୟ ଜୟ ପଦ୍ମନାଭ ଗଦାଧର ମତ୍ସ

ଜୟ ଜୟ ଗୋବିନ୍ଦ ମାଧମ ନନ୍ଦବତ୍ସ

। ୩ ।

ଜୟ ଜୟ ଗୋବର୍ଦ୍ଧନ ହୃଷୀକେଶ କୂର୍ମ

ଜୟ ଜୟ ଗୋପାଳ ବୈକୁଣ୍ଠ ପୁରୁଷୋତ୍ତମ

। ୪ ।

ମାୟାହୀନ ହୋଇ ପ୍ରଭୁ ଦୟାକର ମୋତେ

ବର୍ଣ୍ଣିବି ତୁମ୍ଭର ଗୁଣ ଭବଜନ ହିତେ

। ୫ ।

ଏହି ବିଷୟରେ କଲା ଶ୍ରୀକୃଷ୍ଣ ପ୍ରାର୍ଥନା

କରୁଣାସାଗର ପ୍ରଭୁ ବାରେ କର ଘେନା

। ୬ ।

ଏଥୁ ଅନନ୍ତରେ କଥା ଶୁଣ ସୁଜ୍ଞନର

ଆଦ୍ୟଅବତାର କୀର୍ତ୍ତି ଅମୃତସାଗର

। ୭ ।

ବିଧାତା ପୁରୁଷ କଲେ ବେଦୁଁ ଦିବ୍ୟସୃଷ୍ଟି

ଯଜ୍ଞ ତପ ଦାନ ଦେବସେବା ଧର୍ମନିଷ୍ଠି

। ୮ ।

ରାଜା ପ୍ରଜା ଦୁହିଙ୍କ ମଧ୍ୟରେ ନାହିଁ ଗୋଳ

ସର୍ବେ ତୋଷେ ବିହରନ୍ତି ଅବନୀମଣ୍ଡଳ

। ୯ ।

ବନଜୀବଙ୍କର ହିଂସା ନାହିଁ କାହା ପ୍ରତି

ସିଂହ ସଙ୍ଗେ ଶଶା ଆନନ୍ଦରେ ଭ୍ରମୁଛନ୍ତି

। ୧୦ ।

ଏହିପରି ଦିନ ହରୁଛନ୍ତି ଅନ୍ୟ ଜୀବେ

ଏଥୁଅନନ୍ତରେ କଥା ଶୁଣ ଯଥାଭାବେ

। ୧୧ ।

ମତ୍ସ୍ୟଦେଶେ ଥିଲା ଦୈତ୍ୟ ବୃକାସୁର ନାମ

ଏ ସବୁ ଉତ୍ତମ ଦେଖି ମଣଇ ବିସମ

। ୧୨ ।

ପତ୍ନୀ ତାର ଉଗ୍ରମୂର୍ତ୍ତି ବିରୂପ ତା ବର୍ଣ୍ଣ

ନାମ ତାର ବୀରକେଶୀ ଲମ୍ବ ବେନି କର୍ଣ୍ଣ

। ୧୩ ।

ଏମନ୍ତ ରାକ୍ଷସୀ ଗର୍ଭେ ବିଧିଅଯୋଗରେ

ଗଭସଞ୍ଚାରିତ ହେଲା ଦୈତ୍ୟ ସଂଯୋଗରେ

। ୧୪ ।

ପଞ୍ଚମବରଷ ଗର୍ଭେ ରହିଲା ନନ୍ଦନ

ଜାତହେଲା କନ୍ୟମାସ ରାତ୍ର ମେଘାଚ୍ଛାନ୍ନ

। ୧୫ ।

ପ୍ରକାଣ୍ଡ ବିଜୁଳି ଗତି କରେ ଗଗନରେ

ମହାଭୀତି କଲେ ନର ନାରୀ ସଦନରେ

। ୧୬ ।

ସୁରବର ବାଦ୍ୟ ବାଜୁଁ ସପ୍ତଦ୍ୱୀପ କମ୍ପେ

ଭୂଲୋକ ଭାବିତ ହୋଇ ମେଘମାଳେ ସମ୍ପେ

। ୧୭ ।

ଏମନ୍ତ ସମୟେ ତହିଁ କିମ୍ଭୂତ ହୋଇଲା

ବିରୂପାରାକ୍ଷସୀ ନାମେ ନିକଟରେ ଥିଲା

। ୧୮ ।

ରାକ୍ଷସସୁତକୁ ଦେଖି ମନେ ହିଂସା ବହି

ଚୋରାଇଣ ଘେନିଗଲା କେହି ଜାଣେ ନାହିଁ

। ୧୯ ।

ଦଇବେ ରାକ୍ଷସୀମାନେ ନିଶାରେ ଭ୍ରମନ୍ତି

ଯକ୍ଷ ରକ୍ଷ କିନ୍ନର ଅମରେ ନାହିଁ ଭ୍ରାନ୍ତି

। ୨୦ ।

ଅତି ଶୀଘ୍ରବତ ହୋଇ ପଥ ଜିଣିଗଲା

ସିନ୍ଧୁତଟେ ମିଳି ଶଙ୍ଖଦ୍ରବେ ଫିଙ୍ଗିଦେଲା

। ୨୧ ।

ଲେଉଟି ପ୍ରବେଶ ହେଲା ଆସି ନିଜପୁର

ଶୁଣିଲା ନନ୍ଦନ ମାତା କାନ୍ଦେ ଉଚ୍ଚସ୍ୱର

। ୨୨ ।

ବଡ଼ ତୋଷ ବିରୁପାରାକ୍ଷସୀ କଲା ମନ

ସେମାନେ ନ ପାଇ ସୁତ ହୋଇଲେ ମଉନ

। ୨୩ ।

ପୁଣି ଏଥୁଅନ୍ତେ କଥା ଶ୍ରୁତିମାର୍ଗେଶୁଣ

ହେ କୃଷ୍ଣଭକତଜନ ଲଭିବ କାରଣ

। ୨୪ ।

ଦୈତ୍ୟସୁତ ଶଙ୍ଖହ୍ରଦେ ପଡ଼ି କଲା ରାବ

ତରସ୍ତ ହୋଇଲେ ଶୁଣି ଜଳଚର ଜୀବ

। ୨୫ ।

ଆବର ତା ମୁଖଶବ୍ଦ ଧାପକରେ ଊର୍ଦ୍ଧ୍ୱେ

କେ ବୋଲନ୍ତି କେ କାନ୍ଦୁଛି ଏଡ଼େ ନିଶାଅର୍ଦ୍ଧେ

। ୨୬ ।

ବରୁଣ ଶ୍ରବଣେ ଶୁଣି ଭାଳୁଛନ୍ତି ବସି

ଏ ସମୟେ ବାର୍ତ୍ତା ଜଣାଇଲା ଲୋକ ଆସି

। ୨୭ ।

ଶୁଣି ଜଳେଶ୍ୱର ଶୀଘ୍ରେ ମିଳିଲେ ହ୍ରଦରେ

ଦେଖିଲେ କାନ୍ଦୁଛି ଏକ ବାଳକ କ୍ରୋଧରେ

। ୨୮ ।

ମନେ ତୋଷ ହୋଇ ତାକୁ ଜଳୁଁ ତୋଳି ଧରି

ବୋଲନ୍ତି ସିନ୍ଧୁରୁ ଜାତ ହେଲା ଏ ଆମ୍ଭରି

। ୨୯ ।

ମହାଶଙ୍ଖହ୍ରଦେ ପଡ଼ି କାନ୍ଦୁଛି ନିଶାରେ

ତେଣୁଶଙ୍ଖାସୁର ନାମ ହେଉ ସ୍ୱଭାବରେ

। ୩୦ ।

ଏତେ କହି ବରୁଣ ବିଜୟ ନିଚ୍ଚଆଳ

କଲେ ଆସି ପାରୁଶେ ମିଳିଲେ ବାମ କୁଳ

। ୩୧ ।

ଶଙ୍ଖାସୁର ପ୍ରତି ଜଳେଶ୍ୱର ଦେଲେ ମନ

ସିନ୍ଧୁପୁତ ବୋଲାଇଲା ଅସୁରନନ୍ଦନ

। ୩୨ ।

ଉପଗତ ବାମା ହସ୍ତେ ରଖାଇ ଯତନେ

ଅଙ୍ଗଶୋଭା କଲେ ମଣ୍ଡି ଅପୂର୍ବ ରତନେ

। ୩୩ ।

ବଢ଼ିଲା ସାଗରସୁତ ଅତି ତେଜ ହୋଇ

ଯୁବକ ହୋଇଲା କେତେ ଦିନ ଗଲା ବହି

। ୩୪ ।

ସୁର ନରଙ୍କର ଦର୍ପ ଭାଙ୍ଗିଲା ବଳର

ରହିଲା ଆଶ୍ରମ ରଚି ଅଗାଧଜଳରେ

। ୩୫ ।

ଅନେକ ସମ୍ପଦ କଲା ପରଧନ ହରି

ଦୁଷ୍ଟପଣେ ଆଉ ଜଣେ ନାହିଁ ତାହା ପରି

। ୩୬ ।

ଅସୁରନନ୍ଦନ ତାହା କେ କରିବ ଆନ

କେବଳ ହିଂସାରେ ସଦା ବିହରିଲା ଦିନ

। ୩୭ ।

ଦିନେ କ୍ଷୁଦ୍ରରୂପ ଧରି ବ୍ରହ୍ମାପୁରେ ମିଳି

ଦେଖିଲା ନାହାନ୍ତି ଧାତା ପୁର ଦିଶେ ଝଳି

। ୩୮ ।

ଯେତେ ପୁରରକ୍ଷଲୋକ ଥିଲେ ତାଙ୍କୁ ଲୁଚି

ହରିଲା ବେଦାଦି ଶାସ୍ତ୍ର ନିରୋଳେ ପହଞ୍ଚି

। ୩୯।

ମନ ଛନ ଛନ କରି ପୁରୁ ବାହାରିଲା

ବେଦ ଘେନି ଆସି ସିନ୍ଧୁ ଆଶ୍ରମେ ମିଳିଲା

। ୪୦ ।

ରଖିଲା ଗୃହରେ ସବୁ ଅତି ଗୁପ୍ତଭାବେ

ଯହିଁ ଠାବ ନ ପାଇବେ ସୁର ଆଦି ଦେବେ

। ୪୧ ।

ବେଦ ରଖି ଶଙ୍ଖାସୁର ରହିଲା ନିଶ୍ଚଳ

ଏଥୁଅନନ୍ତରେ କଥା ଶୁଣ ସାଧୁକୁଳ

। ୪୨।

ସେ ଦିନ ହୋଇଚି ମେଷମାସକୁ ପଚିଶ

ମରାଳପୃଷ୍ଠରେ ବ୍ରହ୍ମା ଭ୍ରମୁଥିଲେ ଦେଶ

। ୪୩ ।

ଦିନ ଅବସାନ ଦେଖି ପୁରରେ ମିଳିଲେ

ସନ୍ଧ୍ୟାଜପ ସାରି ଯଥାଭାବରେ ଚଳିଲେ

। ୪୪ ।

କିଛି ଦିନ ବହିଗଲା ନିଗମକୁ ଲୋଡ଼ି

ନ ପାଇ ଚିନ୍ତାରେ ମହାସରିତରେ ବୁଡ଼ି

। ୪୫ ।

ବିଚାର କରନ୍ତି ବେଦ କେହୁ ଘେନିଗଲା

ନ ଜାଣିଲୁଁ ଭଲା ଆମ୍ଭ ପଥ ଚାହିଁଥିଲା

। ୪୬ ।

ଏମନ୍ତ ଭାବନା କରି ଅଷ୍ଟାଙ୍ଗଯୋଗରେ

ବୁଝିଲେ ନିଶ୍ଚଳ ଭାବେ ମନର ସୋଗରେ

। ୪୭ ।

ଦଇତକୁମାର ସିନ୍ଧୁନନ୍ଦନ ହୋଇଲା

ସାଧ୍ୟ କରି ତିନିଲୋକ ମୋ ବେଦ ହରିଲା

। ୪୮ ।

ଏମନ୍ତ ଯୋଗରେ ଜାଣି ଦଇବପୁରୁଷ

ବିଚାରନ୍ତି କାର୍ଯ୍ୟ ହେବ ମିଳିଲା ସନ୍ଦେଶ

। ୪୯ ।

ଏବେ ବିଷ୍ଣୁ ପାଶେ ଯାଇ ଜଣାଇବା ଦୁଃଖ

ଏମନ୍ତ ବଚନ ସ୍ଥିର କରି ଚତୁର୍ମୁଖ

। ୫୦ ।

ବିଶେଷତ ସୁରମୁନି ସଙ୍ଗତରେ ଘେନି

ମିଳିଲେ ବୈକୁଣ୍ଠପୁରେ ଯାଇଁ ପଦ୍ମଯୋନି

। ୫୧ ।

ଦେଖିଲେ ସୁଯୋଗନିଦ୍ରା ଯାଇଛନ୍ତି ହରି

ତଥାପି ପଲ୍ୟଙ୍କତଳେ ଉଭା ହୋଇକରି

। ୫୨ ।

ପଢ଼ନ୍ତି କୋମଳଭାବେ ସ୍ତୁତି କଞ୍ଜସୁତ

ଜୟ ଜୟ ନାରାୟଣ ବ୍ରହ୍ମାଣ୍ଡର ହିତ

। ୫୩ ।

ଜୟ ଜୟ ଶ୍ୟାମଘନ କୌଣପଦଳଣ

ଜୟ ଜୟ ଚତୁର୍ଭୁଜ ଅଘନିବାରଣ

। ୫୪ ।

ଜୟ ଜୟ ସୁଦର୍ଶନଧାରଣ ଗୋବିନ୍ଦ

ଜୟ ଜୟ ହେ ଅନାଦି ଗୋପାଳମୁକୁନ୍ଦ

। ୫୫ ।

ଜୟ ଜୟ ବନମାଳ ବଳିଧ୍ୱଂସକର୍ତ୍ତା

ଜୟ ଜୟ ଗୋବର୍ଦ୍ଧନ ବିଶ୍ୱଜୀବହର୍ତ୍ତା

। ୫୬ ।

ମୋର ନିବେଦନ ପ୍ରଭୁ ଶ୍ରୁତିମାର୍ଗେ ଶୁଣ

ଅତ୍ୟନ୍ତ ଆଶ୍ଚର୍ଯ୍ୟ କଥା କହୁଛି ପ୍ରମାଣ

। ୫୭ ।

ଶଙ୍ଖାସୁର ନାମେ ଦୈତ୍ୟ ସିନ୍ଧୂ ମଧ୍ୟେ ରହି

ସାଧିଲା ତ୍ରିଲୋକବଳ ନିର୍ଭୟକୁ ବହି

। ୫୮ ।

ମୁଁ ଦିନେ ସଦନେ ନାହିଁ ଯାଇଛି ଭ୍ରମଣେ

ମାୟାରେ ସ୍ୱରୂପ ଧରି ବିଡ଼ମ୍ବଣପଣେ

। ୫୯ ।

ନିର୍ଜ୍ଜନ ମନ୍ଦିରୁ ମୋର ନିଗମକୁ ହରି

ନେଇ ପଳାଇଲା ମନେ ଚୌର୍ଯ୍ୟଭାବ ଧରି

। ୬୦ ।

ପ୍ରବେଶି ନିଘୋର ଜଳ ମଧ୍ୟରେ ରଖିଛି

ଯଜ୍ଞ ଆଦି କର୍ମ ଧର୍ମ ନାହିଁ ମୁଁ ଦେଖୁଛି

। ୬୧ ।

ଆବର ନ ପାଇ ହବିସୁରେ ଦୁଃଖମନେ

ଅତିରେକେ ବଞ୍ଚୁଛନ୍ତି ଯେ ଯାହା ଭୁବନେ

। ୬୨ ।

ତେଣୁ କରି ସଂସାର ପାଳନ୍ତି ନାହିଁ କିନ୍ତୁ

ଶସ୍ୟ ନୋହିବାରୁ ଖାଦ୍ୟବିନା ମଲେ ଜନ୍ତୁ

। ୬୩ ।

ଏଣୁକରି ତାକୁ ମାରି ପ୍ରଭୁ ବେଦ ଆଣ

ବେଦାଙ୍ଗ ନାମକୁ ନିଶ୍ଚେ ବହିବ ଆପଣ

। ୬୪ ।

ଏମନ୍ତ ବ୍ରହ୍ମାଙ୍କ ସ୍ତୁତି ଜାଣିଲେ ଶ୍ରୀହରି

ଯୋଗନିଦ୍ରା ତେଜି ପଦ୍ମାସନେ ବିଜେ କରି

। ୬୫ ।

ଅତି ଅନୁରାଗେ ଚାହିଁ ବ୍ରହ୍ମାଙ୍କର ମୁଖ

କହନ୍ତି କୋମଳବାକ୍ୟେ ଯିବ ତୁମ୍ଭ ଦୁଃଖ

। ୬୬ ।

ଏଥକୁ ସଂଶୟ ତେଜି ତୁମ୍ଭେ ମନେ ଘେନ

ଜାଣିଲୁଁ ସେ ଦୁଷ୍ଟ ଦୈତ୍ୟ ନେବୁଁ ତା ଜୀବନ

। ୬୭ ।

କାଲି ପକ୍ଷ ଏକାଦଶୀ ଆଶ୍ୱିନଶୁକଳ

ମକର ରାଶି ଧନିଷ୍ଠା ରୁକ୍ଷ ପୁଣ୍ୟବଳ

। ୬୮।

ଏଣୁକରି ସର୍ବମଙ୍ଗଳରେ ଯୋଗଧାବେ

ବହିବ ମଳୟାନିଳ ପିକ ରାବୁଥିବେ

। ୬୯ ।

ଏଣୁ ତୁମ୍ଭେ ସୁର ମୀନସ୍ୱରୂପେ ସାଗରେ

ଆନନ୍ଦେ ପ୍ରବେଶ ହୁଅ ଅତ୍ୟନ୍ତ ବେଗରେ

। ୭୦ ।

ମତ୍ସ୍ୟ ରୂପ ଧରି ମୁହିଁ ନଦୀ ଆଦି ସିନ୍ଧୁ

ବ୍ୟାପିବି ସତ୍ୱରେ ଯେଣୁ ସୁଜନଙ୍କ ବନ୍ଧୁ

। ୭୧ ।

ଶଙ୍ଖାସୁର ବେଦଚୋର ଖୋଜି ଅଷ୍ଟକାଳେ

ମାରିବି ତାହାକୁ ଆଉ ନ ରଖିବି ଜଳେ

। ୭୨ ।

କହିଲୁଁ ଆଦେଶ ଘେନିଯାଅ ତୁମ୍ଭେ ଆଜି

ଛାଡ଼ି ଅନ୍ୟ ଭାବ ସବୁ ଆଶ୍ରମକୁ ତେଜି

। ୭୩ ।

ଏମନ୍ତ ଶ୍ରୀହରି ଆଜ୍ଞା ପାଇଁ ସୁରଲୋକେ

ବାହାରିଲେ ଭୟ ଦୂରକରି କଉତୁକେ

। ୭୪ ।

ସିନ୍ଧୁତଟେ ମିଳି ମୀନସ୍ୱରୂପ ଧଇଲେ

ଜଳରେ ପ୍ରବେଶି ମହାଆନନ୍ଦେ ରହିଲେ

। ୭୫ ।

ପୁଣି ଏଥୁଅନ୍ତେ କଥା ଶୁଣିମା ସୁଜନ

ଅତ୍ୟନ୍ତ ଦୁର୍ଲଭ ଆଦ୍ୟ ଅବତାର ମୀନ

। ୭୬ ।

ବିନ୍ଧ୍ୟ ନାମେ ପର୍ବତ ପୃଥିବୀ ଉଚ୍ଚ ଭାରୀ

କଶ୍ୟପ ନାମରେ ଋଷି ବଡ଼ ତପଚାରୀ

। ୭୭ ।

ଅପୂର୍ବ ଆଶ୍ରମ ରଚି ତହିଁ ରହିଥାନ୍ତି

ଗୋବିନ୍ଦ ଭଜନ କରି ଦୁର୍ଦ୍ଦିନ ହରନ୍ତି

। ୭୮ ।

ତା ତଳେ ବହୁଛି ସୁରସ୍ରୋତନଦୀ ନାମ

ସେହି ପର୍ବତର ଗର୍ଭୁଁ ସ୍ରବୁଛି ଉତ୍ତମ

। ୭୯ ।

ଦକ୍ଷିଣ ମାର୍ଗରେ ବହି ମିଶୁଛି ସାଗରେ

ତହିଁ ସ୍ନାନ କଲେ ଫଳ ମିଳଇ ଯାଗରେ

। ୮୦ ।

ଏମନ୍ତ ସୁପୁଣ୍ୟନଦୀ ଜାଣି ଋଷିବର

ସୂର୍ଯ୍ୟ ଆଗମନେ ମଠୁଁ ହୋଇଲେ ବାହାର

। ୮୧ ।

ପ୍ରବେଶିଲା ପ୍ରାତଃକାଳ ଦେଖି ଋଷି ତୋଷ

ସାରିଲେ ସ୍ନାହାନ ରବି ନୋହୁଁ ପରକାଶ

। ୮୨ ।

ଗୋବିନ୍ଦ ନାମ ଉଚ୍ଚାର କରୁଁ ଅନୁରାଗେ

ଚାହୁଁ ଚାହୁଁ ସୂର୍ଯ୍ୟ ଉଦେ ହେଲେ ପୂର୍ବଦିଗେ

। ୮୩ ।

ସନ୍ଧ୍ୟା ଦେବପିତୃଆବାହନେ କରି ତୋଷ

କଲେ ଜଳଦାନ ମନେ ନାହିଁ କିଛି କ୍ଲେଶ

। ୮୪ ।

ତୋଳି ଘେନୁଁ ଉଦକଅଞ୍ଜଳି ଆଦିତ୍ୟଙ୍କ

ନିମନ୍ତେ ଦେବାକୁ ମୁନି ଆନନ୍ଦ ଅନେକ

। ୮୫ ।

ହେବା ଅନ୍ତର୍ଗତ ଜାଣି ପ୍ରଭୁ ଦୟାନିଧି

କରିବାକୁ ହତ ସୁରଶ୍ରେଷ୍ଠଙ୍କର ବ୍ୟାଧି

। ୮୬।

ଦିବ୍ୟକ୍ଷୁଦ୍ରଶଫରୀସ୍ୱରୂପ ଧରି ଧୀରେ

ଉପସ୍ଥିତ ହେଲେ ଯାଇଁ ଋଷିଙ୍କର କରେ

। ୮୭।

ଦେଖି ମହାଯତି ବଡ଼ ଆନନ୍ଦ ହୋଇଲେ

ମୀନ ଭୟେ ଏହୁ ମୀନ ଅଇଲା ବୋଇଲେ

। ୮୮ ।

ମୋର କରସ୍ଥଳରେ ଶରଣ ଗଲା ଏବେ

କେମନ୍ତେ ରଖିବି ଯତ୍ନେ ନେଇଁ କେଉଁ ଠାବେ

। ୮୯ ।

ଏମନ୍ତ ବିଚାରି ମୁନି କମଣ୍ଡଳେ ରଖି

ପୁଣି ପ୍ରବେଶିଲେ ଜଳେ ସେ ସ୍ଥାନ ଉପେକ୍ଷି

। ୯୦ ।

ତାହା ଜାଣି ଉଚ୍ଚରେ ଡାକଇ ମାୟାମୀନ

ଶୁଣ ତପଶୀଳ ତୁମ୍ଭ କମଣ୍ଡଳ ସାନ

। ୯୧ ।

ବିଶେଷ ଉଛର୍ଗ ଦିଶୁଅଛି କାୟା ମୋର

ଉପୁଜିଛି ମନେ ଭୟ ପ୍ରତିକାର କର

। ୯୨।

ଦେଖ ଏ ସାରସଗଣ ବସିଛନ୍ତି କେତେ

ଦେଖିଲେ ନିଶ୍ଚୟେ ନେବେ ଗୁପ୍ତେ ରଖ ମୋତେ

। ୯୩ ।

ମୀନ ଡାକ ଶୁଣି ଋଷି ଆଶ୍ଚର୍ଯ୍ୟ ହୋଇଲେ

ଅତିଶୀଘ୍ରେ ନେଇ କୂପମଧ୍ୟରେ ଥୋଇଲେ

। ୯୪ ।

ପୁଣିହିଁ ଦେଖିଲେ ମୀନ କୂପରେ ପୂରିଲା

ମରିଚି ନନ୍ଦନ ବୋଲେ କିମ୍ଭୂତ ଏ ହେଲା

। ୯୫ ।

ମନେ ଅତି ତୁଷ୍ଟବହି ମତ୍ସ୍ୟକୁ ଉଦ୍ଧରି

ଥିଲା ଯେ ସରିତ ତହିଁ ଅତି ଯତ୍ନ କରି

। ୯୬ ।

ଅବିଳମ୍ବେ ଧରି ମୀନ ପ୍ରବେଶନ୍ତେ ଦ୍ୱିଜ

ବଢ଼ିଲା ସରିତେ ଦେଖି ହୋଇଲେ ଆଶ୍ଚର୍ଯ୍ୟ

। ୯୭ ।

ତହୁଁ ବହୁବିପ୍ର ଠୁଳ କରି ତପିଶ୍ରେଷ୍ଠ

ମୀନକୁ ଘେନିଲେ ଧର୍ମେ ଅଟନ୍ତି ଗରିଷ୍ଠ

। ୯୮ ।

ପ୍ରବେଶ ହୋଇଲେ ସରୋବର ଜଳେ ଯାଇ

ମୀନକୁ ଛାଡ଼ିଲେ ତହିଁ ଅନୁରାଗୀ ହୋଇ

। ୯୯ ।

ସରୋବର ଜଳେ ଠାବ ନ ପାଇଲା ମୀନ

ଡାକଇ ହେ ତପିବର ରଖ ମୋ ଜୀବନ

। ୧୦୦ ।

ଏମନ୍ତ ଆଶ୍ଚର୍ଯ୍ୟ କଥା ଦେଖି ଶୁଣି ଦ୍ୱିଜେ

ହୁଅନ୍ତି ବିସ୍ମୟ ବୁଦ୍ଧି ପଞ୍ଚ ମନୁ ହଜେ

। ୧୦୧।

ତଥାପି ମୀନକୁ ସରୋବର ଜଳୁବେଗେ

ନେଇ ନଦୀ ଗର୍ଭରେ ରଖିଲେ ଯଥା ଭାଗେ

। ୧୦୨ ।

ପୁଣି ତହିଁ ପୂର୍ଣ୍ଣ ହେଲା ମୀନ କଳେବର

ଦେଖି ବିପ୍ରେ ଜାଣିଲେ ଏ ବିଷ୍ଣୁମାୟା ଘୋର

। ୧୦୩ ।

ବିହିତ ବେଦର ବାକ୍ୟେ ସ୍ତୁତି ପାଠ କରି

ପୁଣି ମାୟାମତ୍ସ୍ୟକୁ ନଦୀର ମଧ୍ୟୁଧରି

। ୧୦୪ ।

କଶ୍ୟପ ସହିତେ ଘେନି ସିନ୍ଧୁରେ ମିଳିଲେ

ଛାଡ଼ିଲେ ମତ୍ସ୍ୟକୁ ସର୍ବେ ଆନନ୍ଦେ ଚଳିଲେ

। ୧୦୫ ।

ନିଜ ଆଶ୍ରମରେ ଋଷି ହେଲେ ଉପଗତ

ଦ୍ୱିଜମାନେ ଯେଝା ପୁରେ ମିଳିଲେ ତୁରିତ

। ୧୦୬ ।

ଏଥୁ ଅନନ୍ତରେ ଅତିଆଶ୍ଚର୍ଯ୍ୟ ବଚନ

ଶୁଣ ସାଧୁଜନମାନେ ସ୍ଥିର କରି ମନ

। ୧୦୭ ।

ଅମରବୃନ୍ଦଙ୍କ ହିତେ ପ୍ରଭୁ ବିଶ୍ୱରୂପ

ଧଇଲେ ସୁବର୍ଣ୍ଣବର୍ଣ୍ଣ ରୋହି ଭୂଋକ୍ଷେପ

। ୧୦୮ ।

ମୁଖକୁ କି ଦେବି ଲକ୍ଷ ପ୍ରତିତୁଲ୍ୟ ନାହିଁ

ଲୋଚନ ଅପୂର୍ବ ରଙ୍ଗ ଭୟ ହେବ ଚାହିଁ

। ୧୦୯ ।

ମହାମେରୁ ପ୍ରାୟ ହେବ ମହାମତ୍ସବଳୀ

ଅଧର ସୁରଙ୍ଗ ରଙ୍ଗ ପୁଚ୍ଛ ଦିଶେ ଝଳି

। ୧୧୦ ।

ସେହି ପୁଚ୍ଛ ଗିରିବତ ହୋଇଛି ଆବର

ଗଗନ କମ୍ପଇ ଗର୍ଜନରେ ଗୁରୁତର

। ୧୧୧।

ଟଳଟଳ ହୋଏ କ୍ଷିତି ସିନ୍ଧୁ ଉଛୁଳଇ

ପ୍ରତେ ହେଲା ପାତାଳରେ ପଡ଼ିବ କି ମହୀ

। ୧୧୨ ।

ନାସାପବନର ଘାତେ ଉଡ଼ନ୍ତି ପର୍ବତ

ଅନ୍ତରାଳେ ମେଘମାଳେ ହେଲେ ଭଗ୍ନବତ

। ୧୧୩ ।

ଏମନ୍ତ ସ୍ୱରୂପେ ମତ୍ସ୍ୟ ଚହଟଇ ଜଳେ

କଳେବର ଉଛର୍ଗ ନିର୍ମିତ ମାୟା ବଳେ

। ୧୧୪ ।

ମନ୍ଦର ତଡ଼ାଗ ମଧ୍ୟେ ଦିଶଇ ଯେମନ୍ତ

ଜଳ ମତ୍ସ୍ୟ ପୁଚ୍ଛଗତେ ରହିଲା ତେମନ୍ତ

। ୧୧୫ ।

ଜଳଶୂନ୍ୟ ହେଲା ସିନ୍ଧୁମୀନ ଆଦିଚର

ଦେଖାଗଲେ ସର୍ବେ ରହି କେ ଉଚ୍ଚ ନୀଚର

। ୧୧୬ ।

ଶଙ୍ଖାସୁର ଦୁରାଚାର ତାଙ୍କ ମଧ୍ୟେ ଥିଲା

ମାୟାମୀନ ଭଗବାନନେତ୍ରପାତ ହେଲା

। ୧୧୭ ।

କିସ ମୁଁ କହିବିଁ ହରି ମନର ଆନନ୍ଦ

ଦିବ୍ୟ ଚକ୍ଷୁ ଲଭିଲା କି ଶତେ ଜନ୍ମଅନ୍ଧ

। ୧୧୮ ।

କିବା ମହାଦରିଦ୍ର ପାଇଲା ରତ୍ନକୋଷ

ପାପିଷ୍ଠ ଗମନେ କି ମିଳିଲା ବିଷ୍ଣୁବାସ

। ୧୧୯ ।

ତେମନ୍ତ ପ୍ରାୟକ ମନେ ଲଭିଲେ ଶ୍ରୀହରି

ହୋଇଥିବା ମାୟାମୀନରୂପ ତେଜ୍ୟା କରି

। ୧୨୦ ।

ଅତ୍ୟନ୍ତ ଶୀଘ୍ରରେ ନିଜ ମୂରତି ଧଇଲେ

ନିଗମଚୋରକୁ ବଳେ ଧରି ବନ୍ଦୀ କଲେ

। ୧୨୧ ।

କେଅବା ବରତିଯିବ ତାଙ୍କର ଦାଉରୁ

ତ୍ରୈଲୋକ ବିପଦ ନାଶ ବାଞ୍ଛା କଳ୍ପତରୁ

। ୧୨୨ ।

ବଦରିବନରେ ଯାଇ ହୋଇଲେ ପ୍ରବେଶ

କମ୍ପଇ ଭୟରେ ଦୈତ୍ୟ ଚାହିଁ ଦଶ ଦିଶ

। ୧୨୩ ।

ଶ୍ରୀ ଗୋବିନ୍ଦ ତାର ଭୁଜ ଧରି ଶ୍ରୀବଦନେ

ବଦନ ସଞ୍ଚରୁ ଅଙ୍ଗ ପୂରିଲା ପବନେ

। ୧୨୪।

ତନୁଭଙ୍ଗ ହେଲା ଶଙ୍ଖାସୁର ମାଂସ ଶ୍ରୋଣି

କେଶଚର୍ମ ଅସ୍ଥି ଉଡ଼ି ପଡ଼ିଲେ ଧରଣୀ

। ୧୨୫ ।

ମୁକତି ତା ଜୀବ ଅତି ସତ୍ୱରେ ଲଭିଲା

ପଡ଼ି ଯଥାମତେ ଅସ୍ଥିମହୀ ଆଶ୍ରେ କଲା

। ୧୨୬ ।

ମହାତୁଷ୍ଟ ହେଲେ ପ୍ରଭୁ ବନମାଳୀ ଦେଖି

ବାମକରେ ଘେନିଲେ କମ୍ବୁକୁ ପଦ୍ମଆଖି

। ୧୨୭ ।

ବିଚିତ୍ର ମଧୁରସ୍ୱର କଲେ ଦିଗେଧାବେ

ଶୁଣି ସୁରଗଣ ଆସି ମିଳିଲେ ସେଠାବେ

। ୧୨୮ ।

ତାଙ୍କୁ ଦେଖି ଦୟାନିଧି ଆନନ୍ଦ ବହିଲେ

ମଲା ଦୁଷ୍ଟ ନିଶାଚର ଦ୍ରହାସେ ସେ କହିଲେ

। ୧୨୯ ।

ଏଥୁଅନ୍ତେ ଇତିହାସ ଚାରି ବେଦ ମୂଳେ

ନିର୍ଜନେ ଗୋପ୍ୟରେ ଥିଲେ ଦିବ୍ୟରୂପ ବଳେ

। ୧୩୦ ।

ଧରି ଆସି ପ୍ରବେଶିଲେ ଗୋବିନ୍ଦ ଛାମୁର

ଭକ୍ତିଭାବେ ସ୍ତୁତି କରି ଶିରେ ଦେଲେ କର

। ୧୩୧ ।

ତାହା ଦେଖି ହରି ବଡ଼ ସନ୍ତୋଷ ହୋଇଲେ

ବ୍ରହ୍ମାଙ୍କର ହସ୍ତେ ଯଥା ବେଦ ସମର୍ପିଲେ

। ୧୩୨ ।

ନିଜବେଦ ପାଇ ଧାତା ମନେ ତୋଷ ହୋଇ

ବିଶ୍ୱଜନ ହିତେ ବେଦ ପ୍ରକାଶିଲେ ନେଇ

। ୧୩୩ ।

ଏଥୁ ଅନନ୍ତରେ ସୁରଗଣ ଆଦି ତୋଷେ

ପୂଜିଲେ ବଦରିବନେ ହରିଙ୍କି ହରଷେ

। ୧୩୪ ।

ଏ କଥା କହିଲା ଅଛି ଅନ୍ୟ ଶାସ୍ତ୍ରମାର୍ଗେ

ଜାଣନ୍ତି ଏ ଭବ ମଧ୍ୟେ ପଢ଼ା ଦ୍ୱିଜବର୍ଗେ

। ୧୩୫ ।

ତେଣୁକରି ଗ୍ରନ୍ଥ ନାମ ନ କଲି ପ୍ରକାଶ

ବୁଝିବ ମନରେ ସାଧୁ ନ ଘେନି ମୋ ଦୋଷ

। ୧୩୬ ।

ଯଥାଭାବେ ଶ୍ରୀଗୋବିନ୍ଦ ପାଦପଦ୍ମେ ଚିତ୍ତ

ଦେଇ ଭାଷାବନ୍ଧେ ରଚିକଲି ଏହୁ ଗୀତ

। ୧୩୭ ।

ସୁଜନଜନଙ୍କ ହିତ ଅପୂର୍ବ କଥନ

ଶ୍ରବଣ କରନ୍ତେ ପାପ ହୋଇବ ମୋଚନ

। ୧୩୮ ।

ଏକଶତ ଅଣଚାଳିଶ ଏ ପଦ ହେଲା

ଅନୁରାଗେ କୃଷ୍ଣ ଦାଶ ବୈଷ୍ଣବ କହିଲା

। ୧୩୯ ।

ସମାପ୍ତ ।

----------